8
ଅଶୂରର ରାଜାର ଆକ୍ରମଣ
ପୁଣି, ସଦାପ୍ରଭୁ ମୋତେ କହିଲେ, “ତୁମ୍ଭେ ଏକ ଖଣ୍ଡ ବୃହତ ଫଳକ ନେଇ ପ୍ରଚଳିତ ଅକ୍ଷରରେ ତହିଁ ଉପରେ ଏହି କଥା ଲେଖ, ମହେର-ଶାଲଲହାଶ୍‍-ବସ୍‍ (ଲୁଟିତ ଶୀଘ୍ର ଆସୁଅଛି, ଲୁଟିତ ଦ୍ରବ୍ୟ ଶୀଘ୍ର ଗମନ କରୁଅଛି)” ଆଉ, ମୁଁ ପ୍ରମାଣର ନିମନ୍ତେ ଊରୀୟ ଯାଜକ ଓ ଯିବୋରିଖୀୟର ପୁତ୍ର ଜିଖରୀୟକୁ ଆପଣାର ବିଶ୍ୱସ୍ତ ସାକ୍ଷୀ କରିବି। ଏଥିଉତ୍ତାରେ ମୁଁ ଭବିଷ୍ୟଦ୍‍ବକ୍ତ୍ରୀ ସହ ଶୟନ କରନ୍ତେ, ସେ ଗର୍ଭବତୀ ହୋଇ ଏକ ପୁତ୍ର ପ୍ରସବ କଲା। ତେବେ ସଦାପ୍ରଭୁ ମୋତେ କହିଲେ, “ତାହାର ନାମ ମହେର-ଶାଲଲହାଶ୍‍-ବସ୍‍ ରଖ। କାରଣ ବାଳକ ମୋହର ପିତା ଓ ମୋହର ମାତା ବୋଲି ଡାକିବା ପାଇଁ ଜ୍ଞାନ ପାଇବା ପୂର୍ବେ ଦମ୍ମେଶକ ଧନ ଓ ଶମରୀୟାର ଲୁଟିତ ଅଶୂର ରାଜାର ଆଗେ ଆଗେ ବହି ନିଆଯିବ।”
ଏଥିଉତ୍ତାରେ ସଦାପ୍ରଭୁ ମୋତେ ପୁନର୍ବାର କହିଲେ,
“ଏହି ଲୋକମାନେ ଶୀଲୋହର ମନ୍ଦଗାମୀ ସ୍ରୋତ ଅଗ୍ରାହ୍ୟ କରି
ରତ୍ସୀନ ଓ ରମଲୀୟର ପୁତ୍ରଠାରେ ଆନନ୍ଦ କରୁଅଛନ୍ତି;
ଏହେତୁ ଦେଖ, ପ୍ରଭୁ ଏବେ ନଦୀର ପ୍ରବଳ, ଅପାର ଜଳ ସ୍ୱରୂପ ଅଶୂରର ରାଜାକୁ ଓ ତାହାର ସମସ୍ତ ପ୍ରତାପକୁ ସେମାନଙ୍କ ଉପରେ ଆଣୁଅଛନ୍ତି;
ତହୁଁ ସେ ଆପଣାର ସମସ୍ତ ଜଳପ୍ରଣାଳୀ ଉପରେ ବଢ଼ି ଆପଣାର ବନ୍ଧ ଉପର ଦେଇ ଚାଲିଯିବ;
ଆଉ, ସେ ପ୍ରବଳ ରୂପେ ଆଗକୁ ବଢ଼ି ଯିହୁଦା ପର୍ଯ୍ୟନ୍ତ ଯିବ; ସେ ଉଚ୍ଛୁଳି ଉଠି ବ୍ୟାପି ଯିବ; ସେ କଣ୍ଠସରିକି ଉଠିବ;
ପୁଣି, ହେ ଇମ୍ମାନୁୟେଲ, ତାହାର ପକ୍ଷର ବିସ୍ତୃତି ଦ୍ୱାରା ତୁମ୍ଭ ଦେଶର ପ୍ରସ୍ଥ ବ୍ୟାପ୍ତ ହେବ।”
ହେ ଗୋଷ୍ଠୀସମୂହ, ତୁମ୍ଭେମାନେ କୋଳାହଳ କର, ମଧ୍ୟ ତୁମ୍ଭେମାନେ ଭଗ୍ନ ହେବ; ପୁଣି, ହେ ଦୂରଦେଶୀୟ ଲୋକ ସମସ୍ତେ,
ତୁମ୍ଭେମାନେ କର୍ଣ୍ଣପାତ କର; ତୁମ୍ଭେମାନେ କଟିବନ୍ଧନ କର, ମଧ୍ୟ ଭଗ୍ନ ହେବ।
10 ଏକତ୍ର ମନ୍ତ୍ରଣା କର, ମଧ୍ୟ ତାହା ନିଷ୍ଫଳ ହେବ; କଥା କୁହ, ମଧ୍ୟ ତାହା ସ୍ଥିର ହେବ ନାହିଁ;
ଯେହେତୁ ପରମେଶ୍ୱର ଆମ୍ଭମାନଙ୍କ ସହିତ ଅଛନ୍ତି।
ପରମେଶ୍ୱରଙ୍କ ଆଦେଶ
11 କାରଣ ସଦାପ୍ରଭୁ ପ୍ରବଳ ହସ୍ତରେ ଧରି ମୋତେ ଏହିପରି କହିଲେ ଓ ମୁଁ ଯେପରି ଏହି ଲୋକମାନଙ୍କ ପଥରେ ଗମନ ନ କରିବି, ଏଥିପାଇଁ ମୋତେ ଆଦେଶ ଦେଇ କହିଲେ,
12 ଏହି ଲୋକମାନେ ଯେଉଁସବୁ ବିଷୟକୁ ଚକ୍ରାନ୍ତ ବୋଲି କହିବେ; “ତୁମ୍ଭେମାନେ ସେହି ସବୁକୁ ଚକ୍ରାନ୍ତ ବୋଲି କୁହ ନାହିଁ;
କିଅବା ସେମାନଙ୍କର ଭୟ ବିଷୟକୁ ତୁମ୍ଭେମାନେ ଭୟ କର ନାହିଁ, ଅବା ତହିଁ ବିଷୟରେ ତ୍ରାସଯୁକ୍ତ ହୁଅ ନାହିଁ।
13 ସୈନ୍ୟାଧିପତି ସଦାପ୍ରଭୁଙ୍କୁ ହିଁ ତୁମ୍ଭେମାନେ ପବିତ୍ର ରୂପେ ମାନ୍ୟ କରିବ, ପୁଣି, ସେ ତୁମ୍ଭମାନଙ୍କର ଭୟସ୍ଥାନ ହେଉନ୍ତୁ ଓ ସେ ତୁମ୍ଭମାନଙ୍କର ତ୍ରାସଭୂମି ହେଉନ୍ତୁ।
14 ତହିଁରେ ସେ ପବିତ୍ର ଆଶ୍ରୟ ସ୍ୱରୂପ ହେବେ,
ମାତ୍ର ଇସ୍ରାଏଲର ଉଭୟ ବଂଶ ପ୍ରତି ବିଘ୍ନଜନକ ପ୍ରସ୍ତର ଓ ବାଧାଜନକ ପାଷାଣ ହେବେ, ଯିରୂଶାଲମ ନିବାସୀମାନଙ୍କ ପ୍ରତି ଫାଶ ଓ ଫାନ୍ଦ ସ୍ୱରୂପ ହେବେ।
15 ଆଉ, ଅନେକ ଲୋକ ତଦ୍ଦ୍ୱାରା ବିଘ୍ନ ପାଇ ପତିତ ଓ ଭଗ୍ନ ହେବେ ଓ ଫାନ୍ଦରେ ପଡ଼ି ଧରାଯିବେ।”
16 ତୁମ୍ଭେ ଏହି ପ୍ରମାଣ-ବାକ୍ୟ ବାନ୍ଧ, ମୋʼ ଶିଷ୍ୟମାନଙ୍କ ମଧ୍ୟରେ ବ୍ୟବସ୍ଥା ମୁଦ୍ରାଙ୍କିତ କର।
17 ପୁଣି, ଯେ ଯାକୁବ-ବଂଶଠାରୁ ଆପଣା ମୁଖ ଆଚ୍ଛାଦନ କରନ୍ତି, ମୁଁ ସେହି ସଦାପ୍ରଭୁଙ୍କର ଅପେକ୍ଷା କରିବି ଓ ତାହାଙ୍କ ପାଇଁ ଅନାଇ ରହିବି।
18 ଦେଖ, ମୁଁ ଓ ସଦାପ୍ରଭୁଙ୍କ ଦ୍ୱାରା ମୋତେ ଦତ୍ତ ସନ୍ତାନଗଣ ସିୟୋନ ପର୍ବତ ନିବାସୀ ସୈନ୍ୟାଧିପତି ସଦାପ୍ରଭୁଙ୍କଠାରୁ
ଇସ୍ରାଏଲ ମଧ୍ୟରେ ଚିହ୍ନ ଓ ଅଦ୍ଭୁତ ଲକ୍ଷଣ ସ୍ୱରୂପ ଅଟୁ।
19 ପୁଣି, ଯେତେବେଳେ ସେମାନେ ତୁମ୍ଭମାନଙ୍କୁ କହିବେ, “ଯେଉଁ ଭୂତୁଡ଼ିଆ ଓ ଗୁଣିଆମାନେ ଗଣ ଗଣ ଓ ଫୁସ୍‍ ଫୁସ୍‍ କରି କହନ୍ତି,” ସେମାନଙ୍କର ଅନ୍ଵେଷଣ କର; (ତୁମ୍ଭେମାନେ କୁହ) “ଲୋକମାନେ କʼଣ ଆପଣାମାନଙ୍କ ପରମେଶ୍ୱରଙ୍କ ଅନ୍ଵେଷଣ କରିବେ ନାହିଁ? ସେମାନେ କʼଣ ଜୀବିତମାନଙ୍କ ସପକ୍ଷରେ ମୃତମାନଙ୍କର ଅନ୍ଵେଷଣ କରିବେ?” 20 ବ୍ୟବସ୍ଥା ଓ ପ୍ରମାଣ-ବାକ୍ୟରେ ଅନ୍ଵେଷଣ କର। ଯଦି ସେମାନେ ଏହି ବାକ୍ୟାନୁସାରେ କଥା ନ କହନ୍ତି, ତେବେ ନିଶ୍ଚୟ ସେମାନଙ୍କ ନିମନ୍ତେ ଅରୁଣୋଦୟ ନାହିଁ।
21 ପୁଣି, ସେମାନେ ଅତି କଠିନ ଓ କ୍ଷୁଧିତ ହୋଇ ଦେଶ ମଧ୍ୟଦେଇ ଗମନ କରିବେ, ଆଉ କ୍ଷୁଧିତ ହେଲେ,
ସେମାନେ ବିରକ୍ତ ହୋଇ ଆପଣାମାନଙ୍କ ରାଜାଙ୍କ ଦ୍ୱାରା ଓ ଆପଣାମାନଙ୍କ ପରମେଶ୍ୱରଙ୍କ ଦ୍ୱାରା ଅଭିଶାପ ଦେଇ ଊର୍ଦ୍ଧ୍ୱ ଆଡ଼କୁ ଆପଣା ଆପଣା ମୁଖ କରିବେ;
22 ପୁଣି, ସେମାନେ ଭୂମି ଆଡ଼େ ନିରୀକ୍ଷଣ କରିବେ,
ଆଉ ଦେଖ, ସଙ୍କଟ ଓ ଅନ୍ଧକାର, ଯାତନାରୂପ ତିମିର; ପୁଣି, ସେମାନେ ନିବିଡ଼ ଅନ୍ଧକାରକୁ ତାଡ଼ିତ ହେବେ।