ଲେବୀୟ ପୁସ୍ତକ
ଲେଖକ
ଏହି ପୁସ୍ତକର ଲେଖକ ସମ୍ବନ୍ଧୀୟ ସମସ୍ୟା ପୁସ୍ତକର ଶେଷ ପଦ ଦ୍ଵାରା ସମାଧାନ ହୁଏ, ସଦାପ୍ରଭୁ ସୀନୟ ପର୍ବତରେ ଇସ୍ରାଏଲ-ସନ୍ତାନଗଣ ନିମନ୍ତେ ମୋଶାଙ୍କୁ ଯେଉଁ ଆଜ୍ଞା ଦେଇଥିଲେ, ସେହି ସକଳ ଆଜ୍ଞା ଏହି (ପ୍ର.ବଂ. 27:34; 7:38; 25:1; 26:46) ବଂଶାବଳୀ ପୁସ୍ତକରେ ନିୟମ ବିଷୟରେ ଅନେକ ଇତିହାସ ବର୍ଣ୍ଣିତ ହୋଇଅଛି (8:10; 24:10-23)। ଲେବୀୟ ଶବ୍ଦ ଲେବୀ ବଂଶରୁ ଆସିଅଛି, ଯେଉଁମାନଙ୍କର ସଦସ୍ୟମାନେ ପରମେଶ୍ୱରଙ୍କ ଦ୍ଵାରା ଯାଜକ କର୍ମ ଓ ଉପାସନାରେ ନେତୃତ୍ଵ ନିମନ୍ତେ ପୃଥକ କରାଯାଇଥିଲେ। ଏହି ପୁସ୍ତକରେ ଲେବୀୟମାନଙ୍କ କାର୍ଯ୍ୟ ଓ ଦାୟିତ୍ୱ ବିଷୟରେ ଦର୍ଶାଯାଇଅଛି, ପ୍ରତ୍ୟେକ ଯାଜକମାନଙ୍କୁ ଆଦେଶ ଦିଆଯାଏ ଯେ ସେମାନେ କିଭଳି ଲୋକମାନଙ୍କୁ ଉପାସନାରେ କଢ଼ାଇ ନେବେ ଏବଂ ପ୍ରତ୍ୟେକ ଲୋକମାନଙ୍କୁ ଶିକ୍ଷା ପ୍ରଦାନ କରାଯାଇଅଛି ଯେ ସେମାନେ କିପରି ପବିତ୍ର ଜୀବନ ଯାପନ କରିବେ।
ସମୟ ଓ ସ୍ଥାନ
ପ୍ରାୟ 1,446-1,405 ଖ୍ରୀଷ୍ଟପୂର୍ବ ମଧ୍ୟରେ ଏହି ପୁସ୍ତକ ଲେଖାଯାଇଅଛି।
ଲେବୀୟ ପୁସ୍ତକରେ ଥିବା ନିୟମ ପରମେଶ୍ୱରଙ୍କ ଦ୍ଵାରା ମୋଶାଙ୍କୁ ସୀନୟ ପର୍ବତ କିମ୍ବା ସୀନୟ ପର୍ବତ ନିକଟରେ ଦିଆଯାଇଥିଲା, ଯେଉଁଠାରେ ଇସ୍ରାଏଲ ଲୋକମାନେ କିଛି ସମୟ ପାଇଁ ଛାଉଣି ସ୍ଥାପନ କରିଥିଲେ।
ପ୍ରାପକ
ଏହି ପୁସ୍ତକ ଯାଜକ, ଲେବୀୟ ଏବଂ ଆସିବାକୁ ଥିବା ଇସ୍ରାଏଲର ସମସ୍ତ ପିଢ଼ି ନିମନ୍ତେ ଲେଖାଯାଇଥିଲା।
ଉଦ୍ଦେଶ୍ୟ
ସମାଗମ-ତମ୍ବୁ ନିକଟରୁ ମୋଶାଙ୍କୁ ପରମେଶ୍ୱରଙ୍କ ଆହ୍ୱାନ ଠାରୁ ଲେବୀୟ ପୁସ୍ତକର ଆରମ୍ଭ ହୁଏ। ଉଦ୍ଧାର ପ୍ରାପ୍ତ ଲୋକମାନେ ସେମାନଙ୍କ ମହିମାମୟ ପରମେଶ୍ୱର, ଯିଏ ବର୍ତ୍ତମାନ ସେମାନଙ୍କ ମଧ୍ୟରେ ବାସ କରନ୍ତି, ତାହାଙ୍କ ସହିତ କିପରି ଉଚିତ ସହଭାଗିତା ରଖିବେ ସେହି ବିଷୟରେ ଏହି ପୁସ୍ତକ ପରିଭାଷିତ କରେ। ଏହି ଲୋକମାନେ ମିସର ଏବଂ ଏହାର ସଂସ୍କୃତି ଏବଂ ଧର୍ମକୁ ପରିତ୍ୟାଗ କରି କିଣାନ ଦେଶକୁ ପ୍ରବେଶ କରିବାକୁ ଯାଉଥିଲେ ଯେଉଁ ଦେଶରେ ସେମାନଙ୍କୁ ଅନ୍ୟ ସଂସ୍କୃତି ଏବଂ ଧର୍ମ ଗୁଡ଼ିକ ପ୍ରଭାବିତ କରିବ। ଲେବୀୟ ପୁସ୍ତକ ଲୋକମାନଙ୍କୁ ଏହି ସଂସ୍କୃତି ଠାରୁ ପବିତ୍ର ରହିବାକୁ ଏବଂ ସଦାପ୍ରଭୁଙ୍କ ପ୍ରତି ବିଶ୍ୱସ୍ତ ରହିବାକୁ ନିୟମଗୁଡ଼ିକୁ ଯୋଗାଏ।
ବିଷୟବସ୍ତୁ
ଉପଦେଶ
ରୂପରେଖା
1. ନୈବେଦ୍ୟ ନିମନ୍ତେ ଉପଦେଶ — 1:1-7:38
2. ପରମେଶ୍ୱରଙ୍କ ଯାଜକମାନଙ୍କ ନିମନ୍ତେ ଉପଦେଶ — 8:1-10:20
3. ପରମେଶ୍ୱରଙ୍କ ଲୋକମାନଙ୍କ ନିମନ୍ତେ ଉପଦେଶ — 11:1-15:33
4. ବେଦି ଓ ପ୍ରାୟଶ୍ଚିତ୍ତ ଦିନ ନିମନ୍ତେ ଉପଦେଶ — 16:1-34
5. ବ୍ୟାବହାରିକ ପବିତ୍ରତା — 17:1-22:33
6. ବିଶ୍ରାମ ଦିନ, ପର୍ବ ଓ ଭୋଜି — 23:1-25:55
7. ପରମେଶ୍ୱରଙ୍କ ଆଶୀର୍ବାଦ ପାଇବା ନିମନ୍ତେ ସର୍ତ୍ତ — 26:1-27:34
1
ହୋମବଳିର ନିୟମ
ଏଥିଉତ୍ତାରେ ସଦାପ୍ରଭୁ ସମାଗମ-ତମ୍ବୁରୁ ମୋଶାଙ୍କୁ ଡାକି କହିଲେ, “ତୁମ୍ଭେ ଇସ୍ରାଏଲ-ସନ୍ତାନଗଣଙ୍କୁ କୁହ, ତୁମ୍ଭମାନଙ୍କ ମଧ୍ୟରୁ କେହି ଯଦି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବଳି ଉତ୍ସର୍ଗ କରେ, ତେବେ ସେ ଗୋରୁ ଅବା ମେଷପଲରୁ ଆପଣା ବଳି ଆଣି ଉତ୍ସର୍ଗ କରୁ।
ସେ ଯଦି ଗୋଠରୁ (ଗାଈଗୋରୁ ପଲରୁ) ହୋମାର୍ଥକ ବଳି ଉତ୍ସର୍ଗ କରେ, ତେବେ ନିଖୁନ୍ତ ପୁଂପଶୁ ସମାଗମ-ତମ୍ବୁର ଦ୍ୱାର ନିକଟକୁ ଆଣିବ; ଯେପରି ତାହା ସଦାପ୍ରଭୁଙ୍କ ଛାମୁରେ ଗ୍ରାହ୍ୟ ହେବ। ପୁଣି, ସେ ହୋମବଳିର ମସ୍ତକରେ ଆପଣା ହସ୍ତ ରଖିବ; ତହିଁରେ ସେହି ବଳି ତାହାର ପ୍ରାୟଶ୍ଚିତ୍ତ ରୂପେ ଗ୍ରାହ୍ୟ ହେବ। ତହୁଁ ସେ ସଦାପ୍ରଭୁଙ୍କ ସମ୍ମୁଖରେ ସେହି ଗୋବତ୍ସକୁ ବଧ କରିବ; ଆଉ, ହାରୋଣର ପୁତ୍ର ଯାଜକଗଣ ତାହାର ରକ୍ତ ନେଇ ସମାଗମ-ତମ୍ବୁର ଦ୍ୱାର ସମୀପସ୍ଥ ବେଦି ଉପର ଚାରିଆଡ଼େ ଛିଞ୍ଚିବେ। ପୁଣି ସେ ସେହି ହୋମବଳିର ଚର୍ମ କାଢ଼ି ତାହା ଖଣ୍ଡ ଖଣ୍ଡ କରିବ। ଏଥିଉତ୍ତାରେ ହାରୋଣ ଯାଜକର ପୁତ୍ରଗଣ ସେହି ବେଦି ଉପରେ ଅଗ୍ନି ରଖିବେ ଓ ଅଗ୍ନି ଉପରେ କାଷ୍ଠ ସଜାଇବେ। ପୁଣି ହାରୋଣର ପୁତ୍ର ଯାଜକମାନେ ବେଦି ଉପରିସ୍ଥ ଅଗ୍ନି ଓ କାଷ୍ଠ ଉପରେ ସେହି ପଶୁର ଖଣ୍ଡସକଳ, ମସ୍ତକ ଓ ମେଦ ସଜାଇ ରଖିବେ। ମାତ୍ର ସେ ତାହାର ଅନ୍ତ ଓ ପାଦ ଜଳରେ ଧୌତ କରିବ; ତହୁଁ ଯାଜକ ବେଦି ଉପରେ ତାହାସବୁ ଦଗ୍ଧ କରିବ, ତାହା ହୋମବଳି, ଅର୍ଥାତ୍‍, ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ହେବ।
10 ଆଉ ଯଦି ସେ ମେଷ କି ଛାଗପଲରୁ ହୋମବଳି ଉତ୍ସର୍ଗ କରେ, 11 ତେବେ ସେ ନିଖୁନ୍ତ ପୁଂପଶୁ ଘେନି ସଦାପ୍ରଭୁଙ୍କ ସମ୍ମୁଖରେ ଯଜ୍ଞବେଦିର ଉତ୍ତର ଦିଗରେ ବଧ କରିବ; ପୁଣି ହାରୋଣର ପୁତ୍ର ଯାଜକଗଣ ବେଦିର ଉପର ଚତୁର୍ଦ୍ଦିଗରେ ତାହାର ରକ୍ତ ଛିଞ୍ଚିବେ। 12 ଆଉ ସେ ତାହାର ମସ୍ତକ ଓ ମେଦ ସହିତ ତାକୁ ଖଣ୍ଡ ଖଣ୍ଡ କରିବ; ତହିଁରେ ଯାଜକ ବେଦି ଉପରିସ୍ଥ ଅଗ୍ନି ଓ କାଷ୍ଠ ଉପରେ ତାହା ସଜାଇ ରଖିବ। 13 ମାତ୍ର ସେ ତାହାର ଅନ୍ତ ଓ ପାଦ ଜଳରେ ଧୌତ କରିବ; ତହୁଁ ଯାଜକ ସେହି ସମସ୍ତ ଉତ୍ସର୍ଗ କରି ବେଦି ଉପରେ ଦଗ୍ଧ କରିବ, ତାହା ହୋମବଳି, ଅର୍ଥାତ୍‍, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ତୁଷ୍ଟିଜନକ ଆଘ୍ରାଣାର୍ଥେ ଅଗ୍ନିକୃତ ଉପହାର ହେବ।
14 ଆଉ ଯଦି ସେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପକ୍ଷୀମାନଙ୍କ ମଧ୍ୟରୁ ହୋମବଳି ଉତ୍ସର୍ଗ କରେ, ତେବେ କପୋତ ଅବା ପାରାଛୁଆ ମଧ୍ୟରୁ ତାହା ନେବ। 15 ତହୁଁ ଯାଜକ ତାହା ବେଦି ନିକଟକୁ ଆଣି ତାହାର ମସ୍ତକ ମୋଡ଼ି ତାକୁ ବେଦି ଉପରେ ଦଗ୍ଧ କରିବ; ଆଉ ତାହାର ରକ୍ତ ବେଦି ପାର୍ଶ୍ୱରେ ନିଗାଡ଼ିବ। 16 ଏଥିଉତ୍ତାରେ ସେ ତାହାର ମଳ ସହିତ ଗଳା ଥଳୀ ଘେନି ବେଦିର ପୂର୍ବପାର୍ଶ୍ଵସ୍ଥ ଭସ୍ମ ସ୍ଥାନରେ ନିକ୍ଷେପ କରିବ। 17 ଆଉ, ପକ୍ଷମୂଳ ଚିରିବ, ମାତ୍ର ଦ୍ୱିଖଣ୍ଡ କରିବ ନାହିଁ; ପୁଣି ଯାଜକ ବେଦି ଉପରିସ୍ଥ ଅଗ୍ନି ଓ କାଷ୍ଠ ଉପରେ ଦଗ୍ଧ କରିବ, ତହିଁରେ ତାହା ହୋମବଳି, ଅର୍ଥାତ୍‍, ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ହେବ।