ଦ୍ୱିତୀୟ ଖଣ୍ଡ
42
୪୨:୧-୭୨:୨୦
ନିର୍ବାସିତର ପ୍ରାର୍ଥନା (୧)
ପ୍ରଧାନ ବାଦ୍ୟକର ନିମନ୍ତେ କୋରହ-ସନ୍ତାନଗଣର ମସ୍କୀଲ୍ (ପ୍ରବୋଧନ)।
1 ହରିଣୀ ଯେପରି ଜଳସ୍ରୋତ ପାଇଁ ଧକାଏ,
ସେହିପରି ହେ ପରମେଶ୍ୱର, ମୋʼ ପ୍ରାଣ ତୁମ୍ଭ ପାଇଁ ଧକାଏ।
2 ପରମେଶ୍ୱରଙ୍କ ନିମନ୍ତେ, ଜୀବିତ ପରମେଶ୍ୱରଙ୍କ ନିମନ୍ତେ ମୋʼ ପ୍ରାଣ ତୃଷିତ;
ମୁଁ କେବେ ଆସି ପରମେଶ୍ୱରଙ୍କ ଛାମୁରେ ଉପସ୍ଥିତ ହେବି?
3 ମୋହର ଲୋତକ ଦିବାରାତ୍ର ମୋହର ଭକ୍ଷ୍ୟ ହୋଇଅଛି,
କାରଣ ଲୋକମାନେ ନିତ୍ୟ ମୋତେ କହନ୍ତି, “ତୁମ୍ଭର ପରମେଶ୍ୱର କାହାନ୍ତି?”
4 ମୁଁ କିପରି ଲୋକସମୂହ ସହିତ ଯାତ୍ରା କଲି,
ପୁଣି, ଆନନ୍ଦ ଓ ପ୍ରଶଂସାଧ୍ୱନି ସହିତ ପର୍ବପାଳନକାରୀ ଜନତାକୁ ପରମେଶ୍ୱରଙ୍କ ଗୃହକୁ ଘେନିଗଲି,
ଏହି କଥାସବୁ ସ୍ମରଣ କରି ମୁଁ ଆପଣା ପ୍ରାଣ ଆପଣା ଅନ୍ତରରେ ଢାଳି ଦେଉଅଛି।
5 ହେ ମୋହର ପ୍ରାଣ, ତୁ କାହିଁକି ଶୋକାକୁଳ ହେଉଅଛୁ?
ତୁ କାହିଁକି ମୋʼ ଅନ୍ତରରେ ଅସ୍ଥିର ହେଉଅଛୁ?
ପରମେଶ୍ୱରଙ୍କଠାରେ ଭରସା ରଖ;
କାରଣ ମୁଁ ତାହାଙ୍କ ପ୍ରସନ୍ନତାର ସାହାଯ୍ୟ ସକାଶୁ ପୁନର୍ବାର
ତାହାଙ୍କର ପ୍ରଶଂସା କରିବି।
6 ହେ ମୋହର ପରମେଶ୍ୱର, ମୋହର ପ୍ରାଣ ମୋʼ
ଅନ୍ତରରେ ଶୋକାକୁଳ ହେଉଅଛି;
ଏଥିପାଇଁ ମୁଁ ଯର୍ଦ୍ଦନ ଦେଶରୁ, ପୁଣି, ହର୍ମୋଣ
ଓ ମିତ୍ସୀୟର ପର୍ବତରୁ ତୁମ୍ଭକୁ ସ୍ମରଣ କରୁଅଛି।
7 ତୁମ୍ଭ ନିର୍ଝର ସମୂହର ଶବ୍ଦରେ ଏକ ଗଭୀର ଅନ୍ୟ ଗଭୀରକୁ ଡାକଇ,
ତୁମ୍ଭର ଢେଉ ଓ ତରଙ୍ଗସବୁ ମୋʼ ଉପରେ ଯାଇଅଛି।
8 ତଥାପି ସଦାପ୍ରଭୁ ଦିନ ବେଳେ ଆପଣା ସ୍ନେହପୂର୍ଣ୍ଣ କରୁଣା ଆଜ୍ଞା କରିବେ,
ପୁଣି, ରାତ୍ରିକାଳେ ତାହାଙ୍କ ଗୁଣଗାନ ଓ ଆମ୍ଭ
ଜୀବନଦାତା ପରମେଶ୍ୱରଙ୍କ ପ୍ରତି ପ୍ରାର୍ଥନା ମୋହର ସଙ୍ଗୀ ହେବ।
9 ମୁଁ ଆପଣା ଶୈଳ ସ୍ୱରୂପ ପରମେଶ୍ୱରଙ୍କୁ କହିବି,
“ତୁମ୍ଭେ କାହିଁକି ମୋତେ ପାସୋରିଅଛ?
ମୁଁ କାହିଁକି ଶତ୍ରୁର ଦୌରାତ୍ମ୍ୟ ହେତୁ ଶୋକ କରି ବୁଲୁଅଛି?”
10 ମୋʼ ଅସ୍ଥିରେ ଖଡ୍ଗ ପରି ମୋʼ ବିପକ୍ଷଗଣ ମୋତେ ତିରସ୍କାର କରନ୍ତି;
କାରଣ ସେମାନେ ନିତ୍ୟ ମୋତେ କହନ୍ତି, ତୁମ୍ଭର ପରମେଶ୍ୱର କାହାନ୍ତି?
11 ହେ ମୋହର ପ୍ରାଣ, ତୁମ୍ଭେ କାହିଁକି ଶୋକାକୁଳ ହେଉଅଛ?
ପୁଣି, ତୁମ୍ଭେ କାହିଁକି ମୋʼ ଅନ୍ତରରେ ଅସ୍ଥିର ହେଉଅଛ?
ତୁମ୍ଭେ ପରମେଶ୍ୱରଙ୍କଠାରେ ଭରସା ରଖ;
କାରଣ ମୁଁ ପୁନର୍ବାର ତାହାଙ୍କର ପ୍ରଶଂସା କରିବି,
ସେ ମୋʼ ମୁଖର ପ୍ରସନ୍ନତା ଓ ମୋହର ପରମେଶ୍ୱର ଅଟନ୍ତି।