ପରମ ଗୀତ
ଲେଖକ
ପୁସ୍ତକର ପ୍ରଥମ ପଦ ପ୍ରକାଶ କରେ ଯେ ଏହି ଗୀତ କିଏ ଗାଏ। “ଶଲୋମନଙ୍କର ପରମ ଗୀତ (1:1)।” ଏହି ପୁସ୍ତକର ଶେଷରେ, ଶଲୋମନଙ୍କର ନାମ ଉଲ୍ଲେଖ କରେ ଯେହେତୁ ସର୍ବତ୍ର ପୁସ୍ତକରେ ତାହାଙ୍କର ନାମ ଉଲ୍ଲେଖିତ ଅଟେ (1:5; 3:7, 9, 11; 8:11-12)।
ସମୟ ଓ ସ୍ଥାନ
ପ୍ରାୟ 971-965 ଖ୍ରୀଷ୍ଟପୂର୍ବ ମଧ୍ୟରେ ଏହି ପୁସ୍ତକ ଲେଖାଯାଇଅଛି।
ଶଲୋମନ ଇସ୍ରାଏଲର ରାଜତ୍ୱ କରୁଥିବା ସମୟରେ ଏହି ପୁସ୍ତକ ଲେଖିଛନ୍ତି, ବିଦ୍ଵାନମାନେ ଯିଏ ଶଲୋମନଙ୍କ ଲେଖକତ୍ଵକୁ ବିଶ୍ୱାସ କରନ୍ତି ସେମାନେ ସମ୍ମତ ପ୍ରକାଶ କରନ୍ତି ଯେ ଗୀତର ଯୌବନ ସୁଲଭ ଉତ୍ଫୁଲ୍ଲତା ହେତୁ ଏହି ପୁସ୍ତକ ଲେଖାଯାଇ ନାହିଁ କିନ୍ତୁ ଆଉ ମଧ୍ୟ ଲେଖକ ଉଭୟ ଜାଗାଗୁଡ଼ିକୁ ନାମ ଉତ୍ତର ଏବଂ ଦକ୍ଷିଣ ଦେଶ ସହ ଲିବାନୋନ ଏବଂ ମିସର ବୋଲି ଉଲ୍ଲେଖ କରନ୍ତି ତେଣୁ ଏହି ପୁସ୍ତକ ତାହାଙ୍କ ରାଜତ୍ଵର ଆରମ୍ଭରେ ଲେଖାଯାଇଥିଲା।
ପ୍ରାପକ
ବିବାହିତ ଦମ୍ପତିମାନେ ଏବଂ ଅବିବାହିତ ଯିଏ ବିବାହ କରିବାକୁ ଆସକ୍ତ।
ଉଦ୍ଦେଶ୍ୟ
ପରମ ଗୀତ ଏକ ଗୀତକବିତା ଅଟେ ଯାହା ପ୍ରେମର ସଦ୍ଗୁଣ ଏବଂ ବିବାହକୁ ପରମେଶ୍ୱରଙ୍କ ଯୋଜନା ବୋଲି ସ୍ପଷ୍ଟ ଭାବରେ ପ୍ରକାଶ କରିବାକୁ ଲେଖାଯାଇଥିଲା। ଏକ ପୁରୁଷ ଏବଂ ସ୍ତ୍ରୀ, ପରସ୍ପର ପ୍ରତି ଆତ୍ମିକପୂର୍ଣ୍ଣ, ଆବେଗପୂର୍ଣ୍ଣ ଏବଂ ଶାରୀରିକ ପ୍ରେମରେ ବିବାହ ବନ୍ଧନରେ ଆବଦ୍ଧ ହୋଇ ଏକତ୍ର ରହିବା ଆବଶ୍ୟକ ଅଟେ।
ବିଷୟବସ୍ତୁ
ପ୍ରେମ ଏବଂ ବିବାହ
ରୂପରେଖା
1. କନ୍ୟା ଶଲୋମନଙ୍କ ବିଷୟରେ ଭାବନ୍ତି — 1:1-3:5
2. କନ୍ୟାଙ୍କ ନିର୍ବନ୍ଧ ସ୍ୱୀକୃତି ଏବଂ ବିବାହ ପ୍ରତିକ୍ଷା — 3:6-5:1
3. କନ୍ୟା ବରଙ୍କୁ ହରାଇବାର କଳ୍ପନା କରନ୍ତି — 5:2-6:3
4. କନ୍ୟା ଓ ବର ପରସ୍ପରକୁ ପ୍ରଶଂସା କରନ୍ତି — 6:4-8:14
1
1 ଶଲୋମନଙ୍କର ପରମ ଗୀତ।
କନ୍ୟାର ପ୍ରେମ ଆହ୍ୱାନ
2 ତୁମ୍ଭେ ଆପଣା ମୁଖ-ଚୁମ୍ବନରେ ମୋତେ ଚୁମ୍ବନ କର;
କାରଣ ତୁମ୍ଭ ପ୍ରେମ ଦ୍ରାକ୍ଷାରସ ଅପେକ୍ଷା ଉତ୍ତମ।
3 ତୁମ୍ଭ ସୁଗନ୍ଧି ତୈଳର ସୁବାସ ଉତ୍ତମ;
ତୁମ୍ଭ ନାମ ଢଳା ସୁଗନ୍ଧି ତୈଳ ସ୍ୱରୂପ;
ତେଣୁ କୁମାରୀଗଣ ତୁମ୍ଭକୁ ପ୍ରେମ କରନ୍ତି।
4 ମୋତେ ତୁମ୍ଭେ ଟାଣି ନିଅ; ପୁଣି ଆମ୍ଭେ ତୁମ୍ଭ ପଛେ ପଛେ ଧାଇଁବା;
ରାଜା ଆପଣା ଅନ୍ତଃପୁରକୁ ମୋତେ ଆଣିଅଛନ୍ତି;
ଆମ୍ଭେମାନେ ତୁମ୍ଭଠାରେ ଆନନ୍ଦିତ ହେବା ଓ ଉଲ୍ଲାସ କରିବା।
ଆମ୍ଭେମାନେ ଦ୍ରାକ୍ଷାରସ ଅପେକ୍ଷା ତୁମ୍ଭ ପ୍ରେମ ବିଷୟ ଅଧିକ କହିବା;
ଯଥାର୍ଥରେ ଲୋକେ ତୁମ୍ଭକୁ ପ୍ରେମ କରନ୍ତି।
କନ୍ୟା
5 ହେ ଯିରୂଶାଲମର କନ୍ୟାଗଣ,
ମୁଁ କେଦାରର ତମ୍ବୁ ତୁଲ୍ୟ,
ଶଲୋମନଙ୍କର ଯବନିକା ତୁଲ୍ୟ କୃଷ୍ଣବର୍ଣ୍ଣା,
ତଥାପି ସୁନ୍ଦରୀ।
6 ମୁଁ କୃଷ୍ଣବର୍ଣ୍ଣା,
ସୂର୍ଯ୍ୟ ମୋତେ ବିବର୍ଣ୍ଣା କରିଅଛି ବୋଲି ମୋʼ ପ୍ରତି କୁଦୃଷ୍ଟି କର ନାହିଁ।
ମୋʼ ମାତାର ସନ୍ତାନଗଣ ମୋʼ ପ୍ରତି କୁପିତ ହେଲେ,
ସେମାନେ ମୋତେ ଦ୍ରାକ୍ଷାକ୍ଷେତ୍ରସମୂହର ରକ୍ଷିକା କଲେ;
ମାତ୍ର ମୁଁ ନିଜ ଦ୍ରାକ୍ଷାକ୍ଷେତ୍ର ରକ୍ଷା କରି ନାହିଁ।
7 ହେ ମୋʼ ପ୍ରାଣର ପ୍ରିୟତମ,
ତୁମ୍ଭେ କେଉଁଠାରେ ଆପଣା ପଲ ଚରାଉଅଛ,
ମଧ୍ୟାହ୍ନ କାଳେ ଯେଉଁଠାରେ ଶୟନ କରାଉଅଛ, ତାହା ମୋତେ ଜଣାଅ;
କାରଣ ତୁମ୍ଭ ସଖାଗଣର ପଲ ନିକଟରେ
ମୁଁ କାହିଁକି ଆବରକ ବସ୍ତ୍ର ପରିଧାନକାରିଣୀ ତୁଲ୍ୟ ହେବି?
ବର
8 ହେ ନାରୀଗଣ ମଧ୍ୟରେ ପରମସୁନ୍ଦରୀ, ଯଦି ତୁମ୍ଭେ ନ ଜାଣ,
ତେବେ ତୁମ୍ଭେ ପଲର ପଦଚିହ୍ନ ଧରି ଗମନ କର
ଓ ମେଷପାଳକମାନଙ୍କ ତମ୍ବୁ ନିକଟରେ ଆପଣା ଛେଳିଛୁଆମାନଙ୍କୁ ଚରାଅ।
9 ହେ ମୋହର ପ୍ରିୟେ,
ମୁଁ ଫାରୋର ରଥର ଅଶ୍ୱିନୀ ସଙ୍ଗେ ତୁମ୍ଭର ଉପମା ଦେଇଅଛି।
10 ତୁମ୍ଭର ଗାଲ ଅଳଙ୍କାରରେ ସଜ୍ଜିତ,
ତୁମ୍ଭ ଗଳଦେଶ ରତ୍ନହାରରେ ସୁଶୋଭିତ।
ଅନ୍ୟମାନେ
11 ଆମ୍ଭେ ତୁମ୍ଭ ପାଇଁ ରୂପା ଭୁଣ୍ଡିଲଗା ସୁବର୍ଣ୍ଣ ବେଣୀ ପ୍ରସ୍ତୁତ କରିବା।
କନ୍ୟା
12 ରାଜା ଭୋଜନାସନରେ ଉପବିଷ୍ଟ ଥିବା ବେଳେ
ମୋʼ ସୁଗନ୍ଧିର ସୁବାସ ବ୍ୟାପ୍ତ ହେଲା।
13 ମୋହର ପ୍ରିୟତମ
ମୋʼ ବକ୍ଷସ୍ଥଳ ମଧ୍ୟରେ ଥିବା ଗନ୍ଧରସ ବୃକ୍ଷର ଥୋପା ତୁଲ୍ୟ ମୋʼ ପ୍ରତି ଅଟନ୍ତି।
14 ମୋʼ ପ୍ରିୟତମ
ମୋʼ ପ୍ରତି ଐନଗଦୀର ଦ୍ରାକ୍ଷାକ୍ଷେତ୍ରସ୍ଥ ମେହେନ୍ଦି ପୁଷ୍ପ ଗୁଚ୍ଛ ତୁଲ୍ୟ ଅଟନ୍ତି।
ବର
15 ହେ ମୋହର ପ୍ରିୟେ, ଦେଖ, ତୁମ୍ଭେ ସୁନ୍ଦରୀ,
ଦେଖ, ତୁମ୍ଭେ ସୁନ୍ଦରୀ ଅଟ;
ତୁମ୍ଭର ଚକ୍ଷୁ କପୋତ ତୁଲ୍ୟ।
କନ୍ୟା
16 ଦେଖ, ହେ ମୋହର ପ୍ରିୟତମ, ତୁମ୍ଭେ ସୁନ୍ଦର, ହଁ, ତୁମ୍ଭେ ମନୋହର;
ଆହୁରି, ଆମ୍ଭମାନଙ୍କ ଶଯ୍ୟା ହରିଦ୍ବର୍ଣ୍ଣ ଅଟେ।
17 ଏରସ କାଷ୍ଠ ଆମ୍ଭମାନଙ୍କ ଗୃହର କଡ଼ି
ଓ ଦେବଦାରୁ କାଷ୍ଠ ଆମ୍ଭମାନଙ୍କର ବରଗା।